କାର୍ତ୍ତିକ ମାସରେ ମହାପ୍ରଭୁଙ୍କର ସାତ ଦୁର୍ଲଭ ବେଶ

ଭୁବନେଶ୍ୱର: ଆଶ୍ୱିନ ଶୁକ୍ଲ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଲ ଏକାଦଶୀ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ମନ୍ଦିରରେ କେବଳ ଯେ ରାଧା ଦାମୋଦର ବେଶ ହୋଇଥାଏ, ତାହା ନୁହେଁ । ଏହି ମାସରେ ଲକ୍ଷ୍ମୀ ନାରାୟଣ ବେଶ, ବାଙ୍କଚୁଡା ବେଶ, ଡାଳିକିଆ ବେଶ, ଲକ୍ଷ୍ମୀ ନୃସିଂହ ବେଶ, ରାଜ ରାଜେଶ୍ୱର ବେଶରେ ଦର୍ଶନ ଦେଇଥାନ୍ତି ମହାପ୍ରଭୁ । ଏହାବ୍ୟତୀତ ପ୍ରତିବର୍ଷ ନ ହେଲେ ମଧ୍ୟ ମହାପ୍ରଭୁ ଏହି ମାସରେ ହିଁ ଦୁର୍ଲଭ ନାଗାର୍ଜୁନ ବେଶ ହୋଇଥାନ୍ତି । ଶେଷଥର ପାଇଁ ୧୯୯୩ ଓ ୧୯୯୪ ମସିହାରେ ପ୍ରଭୁଙ୍କର ଏହି ବେଶ ଦର୍ଶନ କରିଥିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । 

ଶ୍ରୀମନ୍ଦିର ବ୍ୟବସ୍ଥାରେ ଲକ୍ଷ୍ମୀ ନାରାୟଣ ବେଶକୁ କେହି କେହି ଠିଆକିଆ ବେଶ ବୋଲି ମଧ୍ୟ ବର୍ଣ୍ଣନା କରିଥାନ୍ତି । କାର୍ତ୍ତିକ ଶୁକ୍ଲ ଏକାଦଶୀ ତିଥିରେ ଶ୍ରୀଜଗନ୍ନାଥଙ୍କର ଏହି ବେଶ କରାଯାଇଥାଏ । ପ୍ରଭୁ ଏହି ବେଶ ଲାଗି ହୋଇ ବିଷ୍ଣୁ ରୂପେ ଦର୍ଶନ ଦେଇଥାନ୍ତି । କିଛି ଗବେଷକଙ୍କ ମତରେ ବୈଷ୍ଣବମାନେ ହିଁ ଏହି ବେଶ ଦର୍ଶନ ପାଇଁ ଅପେକ୍ଷା କରିଥାନ୍ତି । 

ଶ୍ରୀଜିଉମାନଙ୍କର ଅବକାଶ ନୀତି ଶେଷ ହେବା ପରେ ପ୍ରଭୁଙ୍କ ଠିଆକିଆ ବେଶ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ଠାକୁରଙ୍କର ଏହି ବେଶରେ ପୁଷ୍ପାଳକ ସେବକମାନେ ସୁବର୍ଣ୍ଣ କିଆ ଲାଗି କରିଥାନ୍ତି । କେବଳ ସେତିକି ନୁହେଁ, ପ୍ରଭୁ  ଶ୍ରୀଭୁଜ, ଶଙ୍ଖ, ଚକ୍ର, ହଳ, ମୂଷଳ ପ୍ରମୁଖ ଧାରଣ କରିଥାନ୍ତି । 

କାର୍ତ୍ତିକ ମାସର ପଞ୍ଚୁକ ମଧ୍ୟରେ ପଡୁଥିବା ଶୁକ୍ଲ ଦ୍ୱାଦଶୀ ତିଥିରେ ମହାପ୍ରଭୁ ବାଙ୍କଚୁଡା ବେଶରେ ଦର୍ଶନ ଦେଇଥାନ୍ତି । ଜନଶ୍ରୁତି ରହିଛି, ଅକ୍ରୁର ମଥୁରା ନେବାକୁ ଆସିଥିବା ବେଳେ ପ୍ରଭୁ ଶ୍ରୀକୃଷ୍ଣ ତାଙ୍କୁ ଏହି ବେଶରେ ଦର୍ଶନ ଦେଇଥିଲେ । ଏହି ବେଶରେ ବଡଠାକୁର ଓ ଶ୍ରୀଜଗନ୍ନାଥଙ୍କ ମସ୍ତକରେ ଚନ୍ଦି୍ରକା ଚୂଳ ଲାଗି ଲାଗି ହୋଇଥାଏ । ଦକ୍ଷିଣ ଦିଗକୁ ପ୍ରଭୁଙ୍କର ଖୋସା ପଡେ ଓ ଖୋସା ଅଗରେ ସୁବର୍ଣ୍ଣ କିଆ ଲଗାଯାଇଥାଏ । 

କାର୍ତ୍ତିକ ଶୁକ୍ଲ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ଡାଳିକିଆ ବା ତ୍ରିବିକ୍ରମ ବେଶ କରାଯାଇଥାଏ ।ଅବକାଶ ନୀତି ଶେଷ ପରେ ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କ ମସ୍ତକରେ ଚୁଳ ଲାଗି କରିଥାନ୍ତି । ଏଥିରେ ମଧ୍ୟ ସ୍ୱର୍ଣ୍ଣ କିଆ ଖଞ୍ଜାଯିବାର ବ୍ୟବସ୍ଥା ରହିଛି । ସ୍ୱର୍ଣ୍ଣ ତ୍ରିଶାଖା ବି ମସ୍ତକରେ ଶୋଭା ପାଏ । 

ଆଡକିଆ ବେଶରେ ମହାପ୍ରଭୁ ମୁଣ୍ଡରେ ଭଣ୍ଡା ଚୂଳ, ସ୍ୱର୍ଣ୍ଣ କିଆ, ଫଳି ପ୍ରଭୁତିି ଲାଗି ହୋଇ ବେଶ ହୋଇଥାନ୍ତି । ଅବକାଶ ନୀତିପରେ ଏହି ବେଶ ମୁଖ୍ୟତଃ କରାଯାଇଥାଏ । ଶୋଲ, ଜରି ଆଦିରେ ଫୁଲ ପ୍ରସ୍ତୁତ କରି ମହାପ୍ରଭୁଙ୍କ ମସ୍ତକରେ ଲଗାଯାଇଥାଏ । ଏହି ଡାଳିରେ ସ୍ୱର୍ଣ୍ଣ କିଆ ଠିଆ ପାଖୁଡା ଭଳି ଲଗାଯିବାର ବିଧି ରହିଛି । 

ଯେଉଁ ବର୍ଷ ପଞ୍ଚୁକ ଛଅ ଦିନ ପଡେ, ସେହିବର୍ଷ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ହୋଇଥାଏ । ଠାକୁରେ ଏହିି ବେଶରେ ନାଗା ଭଳି ସଜାଇ ହୋଇଥାନ୍ତି । କୁହାଯାଏ, ପୁରୀର ସାହିଯାତ୍ରାରେ ବାହାରୁଥିବା ନାଗା ସଂସ୍କୃତିକୁ ଅନୁକରଣ କରି ଏହି ବେଶର ପରିକଳ୍ପନା କରାଯାଇଛି । ଆଉ କିଛି ଗବେଷକ କହନ୍ତି, ମହାଭାରତର ନାଗାର୍ଜୁନ ଚରିତ୍ରରେ ଦର୍ଶନ ଦେବା ଲାଗି ମହାପ୍ରଭୁ ଏହି ଦୁର୍ଲଭ ବେଶ ହୋଇଥାନ୍ତି । 

Share Post

Leave a Reply

Your email address will not be published. Required fields are marked *

fourteen − three =