ମହାପ୍ରସାଦ ପାଇଁ ଏତେ କଟକଣା କାହିଁକି

ଭୁବନେଶ୍ୱର: କେବଳ ଯେ ମହାପ୍ରସାଦ ଖାଇବା ପାଇଁ କଟକଣା ରହିଛି ବା ପ୍ରସ୍ତୁତିରେ ସ୍ୱତନ୍ତ୍ରତା ରହିଛି, ତା ନୁହେଁ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ପ୍ରସ୍ତୁତିର ଆଉ ଏକ ଦିଗ ମଧ୍ୟ ଅତ୍ୟନ୍ତ ରୋଚକ । ତାହା ହେଉଛି, ପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତି ବେଳେ ସୁଆର ସେବକମାନେ ମଧ୍ୟ ଅନେକ ନିୟମ କାନୁନ ଭିତରେ ବନ୍ଧା । ପାଖାପାଖି ୫୦ ଡିଗ୍ରି ତାପମାତ୍ରା ଭିତରେ ସେମାନେ ପ୍ରତ୍ୟହ ଦିନର ସବୁଠାରୁ ଅଧିକ ସମୟ ବିତାନ୍ତି । ଆଉ ରୋଷେଇ ପ୍ରସ୍ତୁତ କରିବା ପାଇଁ ଯେଉଁ କଟକଣା ରହିଛି, ତାହା ମଧ୍ୟ ସାଧାରଣ ମଣିଷଟିଏ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ ।
ଏମିତିରେ ମହାପ୍ରସାଦ ପ୍ରସ୍ତୁତି ସମୟରେ ବା ପରେ ଶ୍ରୀଜଗନ୍ନାଥଙ୍କ ରୋଷଶାଳାକୁ ବାହାର ଲୋକଙ୍କ ପ୍ରବେଶ ବାରଣ କରିଛି । କେବଳ ରୋଷ କାର୍ଯ୍ୟ ତୁଲାଉଥିବା ସେବକମାନଙ୍କ ବ୍ୟତୀତ ଅନ୍ୟ କେହି ତାବା ମଧ୍ୟରେ ପ୍ରବେଶ କରିପାରିବେ ନାହିଁ । ପ୍ରତିଦିନ ପାଖାପାଖି ଏକ ଲକ୍ଷ ଲୋକଙ୍କ ପାଇଁ ରୋଷେଇ ହୋଇଥାଏ । ଏଥିପାଇଁ କୌଣସି ପ୍ରାକ୍‍ ପ୍ରସ୍ତୁତି ଅର୍ଥାତ୍‍ ମସଲା ବଟା କିମ୍ୱା ପରିବା କଟା ଆଦି କେହି ଘରେ କି ବାହାରେ କରିପାରିବେ ନାହିଁ । ବରଂ ଏ ସବୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଯେମିତି ପରିବା କାଟିବା,ବଟାବଟି,ନଡିଆ କୋରା ଆଦି କାର୍ଯ୍ୟ ସେହି ପାକଶାଳା ଭିତର ବାରଣ୍ଡାରେ ହିଁ ଅତ୍ୟନ୍ତ ଶୁଦ୍ଧପୁତ ଭାବେ ସମ୍ପାଦିତ ହୋଇଥାଏ ।
ସବୁଠାରୁ ବଡ଼ କଥା ହେଲା, ଗରମରେ ଆଉଟୁ ପାଇଟୁ ହେଉଥିଲେ ହେଁ, ସେବକମାନେ ରୋଷ ସାମଗ୍ରୀ ପ୍ରସ୍ତୁତ କରିବା ସମୟରେ ନା ବଡ ପାଟି କରିପାରିବେ ନା ଖୋଲାଖୋଲି ବୁଲିପାରିବେ । ବରଂ ସେମାନେ ମୁହଁରେ ଗାମୁଛା ବାନ୍ଧିବା ବାଧ୍ୟତାମୂଳକ । କାଳେ କଥା ହେବା ବେଳେ ପ୍ରଭୁଙ୍କ ଭୋଗରେ ଛେପ ପଡିଯିବ, କାଳେ ଝାଳ ପଡିଯିବ, ଏଥିପାଇଁ ମାତ୍ରାଧିକ ସତର୍କତା ଅବଲମ୍ୱନ କରାଯାଇଥାଏ । ସବୁଠାରୁ ବଡ଼ କଥା ହେଲା ଅନ୍ନ ବ୍ୟଞ୍ଜନର ବାସ୍ନା ନାକରେ ବାଜିଯିବ, ତାହା ଉପରେ କଟକଣା ରହିଛି । ଏମିତି ହେଲେ ମହାପ୍ରଭୁଙ୍କୁ ଆଉ ସେ ଭୋଗ ଲାଗି କରାଯାଇପାରିବ ନାହିଁ ।
ଯଦି କୌଣସି କାରଣରୁ ଭୋଗ ପ୍ରସ୍ତୁତି ବେଳେ ମାରା ହୁଏ, ତେବେ ତାହାକୁ ନଷ୍ଟ କରିଦିଆଯିବଅର୍ଥାତ୍‍ ପୋତି ଦିଅାଯାଏ । ତାପରେ ସେବକମାନେ ପୁର୍ନବାର ସ୍ନାନ କରି ଶୁଚି ହୋଇ ପୁଣି ରୋଷେଇ ପ୍ରସ୍ତୁତ କରିବାକୁ ହେବ ।

Share Post
  • 98
  •  
  •  
  •  
  •  
  •  
  •  
  •  
    98
    Shares

Leave a Reply

Your email address will not be published. Required fields are marked *

fifteen + 7 =