ଜୋରସୋରରେ ଚାଲିଛି ତୁମ୍ବ ନିର୍ମାଣ

ପୁରୀ: ଆଜି ପୂର୍ବାହ୍ନରେ ରଥ ଖଳାଠାରେ ଉପସ୍ଥିତ ୭୮ ଜଣ ରଥ ନିର୍ମାଣରେ ସମ୍ପୃକ୍ତ ସେବକ ଏବଂ
ସହାୟକଙ୍କର ଥର୍ମାଲ ସ୍କ୍ରିନିଂ କରା ଯାଇଥିଲା। ସେମାନଙ୍କ ମଧ୍ୟରେ ୩୬ ଜଣ ମହାରଣା, ୪ ଜଣ କରାତି ସେବକ, ୨୪ଜଣ ଭୋଇ ସେବକ, ଜଣେ ତୁମ୍ବ ବିନ୍ଧ କାରିଗର, ୧୨ ଜଣ ଓଝା ବା କମାର ସେବକ ଏହିପରି ୭୭ ଜଣ ନିର୍ମାଣକାରୀ ସେବକ ଏବଂ ରଥ ନିର୍ମାଣ କାରୀଙ୍କୁ ପିଇବା ପାଣି ଯୋଗାଇବା ପାଇଁ ଜଣେ ସହାୟକ ଅନ୍ତର୍ଭୁକ୍ତ ଥିଲେ। ପରେ ଦୁଇଜଣ ମହାରଣା କାର୍ଯ୍ୟରେ ଯୋଗ ଦେବାକୁ ଆସିଥିଲେ ହେଁ ତାଙ୍କର କୋଭିଡ୍‌ ଆରଟିପିସିଆର ଟେଷ୍ଟିଂଙ୍ଗ୍‌ ରିପୋର୍ଟ ଆସିନଥିବାରୁ ତାଙ୍କୁ ରଥ ନିର୍ମାଣରେ ସାମିଲ କରାନଯାଇ ଭକ୍ତ ନିବାସ ସଂଗରୋଧ କେନ୍ଦ୍ରକୁ ପଠାଯାଇଥିଲା।

ଆଜି ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଶେଷ ବେଳକୁ ତାଳଧ୍ଵଜ ରଥର ୬ଟି ତୁମ୍ବର ପ୍ରାରମ୍ଭିକ ଗୋଲେଇ କାର୍ଯ୍ୟ ଶେଷ ହୋଇଛି ଏବଂ ୫ଟି ତୁମ୍ବକୁ ମହାରଣାମାନେ ବାରିସୀରେ ହାଣି ପ୍ରାରମ୍ଭିକ କାର୍ଯ୍ୟ ଜାରି ରଖିଛନ୍ତି।ବାକି ତିନିଟି ତୁମ୍ବ କଟାଯାଇ ସେଥିରେ ଗୋଲାକାର କୁଆଁର ମାପ ଚିହ୍ନ ଦିଆଯିବା କାର୍ଯ୍ୟ ବାକି ରହିଛି। ଦେବୀ ରଥ ପାଇଁ ୧୨ଟି ତୁମ୍ବ ମଧ୍ୟରୁ ୭ଟି ତୁମ୍ବର ପ୍ରାରମ୍ଭିକ ଗୋଲେଇ କାର୍ଯ୍ୟ ଶେଷ ହୋଇ ଆଉ ପାଞ୍ଚଟିର ନିର୍ମାଣ କାର୍ଯ୍ୟ ଜାରି ରହିଛି। ସେହିପରି ନନ୍ଦିଘୋଷ ରଥ ପାଇଁ ଆବଶ୍ୟକ ୧୬ ଟି ତୁମ୍ବ ମଧ୍ୟରୁ ୯ଟି ତୁମ୍ବର ପ୍ରାରମ୍ଭିକ ଗୋଲେଇ କାର୍ଯ୍ୟ ସମ୍ପୂର୍ଣ ହୋଇ ୬ଟି ତୁମ୍ବର ନିର୍ମାଣ କାର୍ଯ୍ୟ ଜାରି ରହିଛି ,ଆଉ ଗୋଟିଏ ତୁମ୍ବ କଟାଯିବା ପାଇଁ ବାକି ଅଛି।

ସେପଟେ ଦୋଳ ବେଦି ଠାରେ ଓଝା ସେବକମାନେ ଅର କଣ୍ଟା ପ୍ରସ୍ତୁତିରେ ଲାଗିଛନ୍ତି। ଆଜି କାର୍ଯ୍ୟ ଶେଷ ବେଳକୁ ତିନି ରଥର ଓଝା ସେବକମାନେ ପ୍ରତ୍ୟେକ ୨୫ ଗଣ୍ଡାରୁ ଅଧିକ ଅରକଣ୍ଟା ନିର୍ମାଣ କରିଥିବାବେଳେ
୧୦୦ ରୁ ଅଧିକ ଅରକଣ୍ଟା ପ୍ରସ୍ତୁତି ପାଇଁ ଲୁହା ଛଡ଼ କାଟିଛନ୍ତି ।

Share Post

Leave a Reply

Your email address will not be published. Required fields are marked *

3 × three =