ଅଲାରନାଥ ନଟବର ବେଶ ହେଲେ କାହିଁକି?

ପୁରୀ,୮/୭ (ବ୍ୟୁରୋ): ମହାପ୍ରଭୁଙ୍କ ଅନବସର କାଳରେ ବ୍ରହ୍ମଗିରିର ଶ୍ରୀ ଅଲାରନାଥଙ୍କ ଦର୍ଶନ ପରମ୍ପରା ଯାମୁନାଚାର୍ଯ୍ୟଙ୍କ ସମୟରୁ ଚାଲି ଆସୁଥିବା ଐତିହାସିକମାନେ ମତ ଦିଅନ୍ତି । ବିଶ୍ୱାସ ଅଛି, ଶ୍ରୀ ଚୈତନ୍ୟ ୧୫୧୦ ମସିହାରେ ଶ୍ରୀକ୍ଷେତ୍ର ଆସିବା ପରେ ମହାପ୍ରଭୁଙ୍କ ନିର୍ଦେଶରେ ହିଁ ଶ୍ରୀ ଅଲାରନାଥଙ୍କ ଦର୍ଶନ କରିଥିଲେ । ଅନବସରରେ ପ୍ରଭୁଙ୍କୁ ନ ପାଇଁ ଚୈତନ୍ୟ ବିଷାଦଗ୍ରସ୍ତ ଥିଲେ ଓ ପ୍ରଭୁ ତାଙ୍କୁ ସ୍ୱପ୍ନାଦେଶ କରିଥିଲେ, ସେ ଅନବସର କାଳରେ ଥିବା ବେଳେ ଭକ୍ତମାନେ ତାଙ୍କୁ ଅଲାରନାଥଙ୍କ ପାଖରେ ପାଇଥାନ୍ତି । ପରେ ଶ୍ରୀ ଚୈତନ୍ୟ ଭକ୍ତଙ୍କ ସହିତ ଜଙ୍ଗଲ ବାଟ ଦେଇ ଯିବା ବେଳେ ବାଟ ଭୁଲି ଯାଇଥିଲେ ଓ ଭଗବାନ ତାଙ୍କୁ ବାଳକ ରୂପରେ ବାଟ କଢାଇ ନେଇଥିଲେ । 

ଶ୍ରୀ ଚୈତନ୍ୟ ଅଲାରନାଥଙ୍କ ଦର୍ଶନ କରି ଭାବବିହ୍ୱଳିତ ହୋଇପଡିଥିଲେ । ଶ୍ରୀ ଅଲାରନାଥଙ୍କ ବିଗ୍ରହ ସମ୍ମୁଖରେ ବାରମ୍ୱାର ଦଣ୍ଡ ପ୍ରଣାମ କରିବାରୁ ସେହି ଶିଳା ଖଣ୍ଡିକ ଶ୍ରୀ ଚୈତନ୍ୟଙ୍କ ଦିବ୍ୟ ଅଙ୍ଗ ସ୍ପର୍ଶରେ ବିଗଳିତ ହୋଇପଡିଥିଲା । ଏଥିରେ ଥିବା ଚିହ୍ନକୁ ଏହାର ପ୍ରତୀକ ବୋଲି କୁହାଯାଏ । 

ସେହିଭଳି ଜନଶ୍ରୁତିରୁ ଜଣାପଡେ, ସତ୍ୟଯୁଗରେ ବ୍ରହ୍ମଦେବ ଏହି ଠାରେ ଶ୍ରୀବିଷ୍ଣୁଙ୍କ ଉପାସନାରେ ମଗ୍ନ ଥିଲେ । ତାଙ୍କ ତପସ୍ୟାର ସ୍ଥାନ ଭାବେ ଏହାକୁ ବ୍ରହ୍ମଗିରି ବୋଲି କୁହାଯାଏ । ଏହି ଅଞ୍ଚଳର ମହନୀୟତା ପ୍ରତି ଆକର୍ଷିତ ହୋଇ ପରବର୍ତ୍ତୀ ସମୟରେ ଦକ୍ଷିଣ ଭାରତର କେତେକ ଆଲବାର ସଂପ୍ରଦାୟର ଭକ୍ତ ଏଠାରେ ନାରାୟଣଙ୍କୁ ପୂଜା କରିଥିଲେ । 

ଅଣସର ଏକାଦଶୀରେ ଅର୍ଥାତ୍‍ ଆଜି ଶ୍ରୀ ଅଲାରନାଥ ନଟବର ବେଶ ହୋଇଥାନ୍ତି । ଶ୍ରୀ କ୍ଷେତ୍ରରେ ଅକ୍ଷୟ ତୃତୀୟା ଦିନ ନରେନ୍ଦ୍ର ପୁଷ୍କରିଣୀରେ ଶ୍ରୀ ମଦନମୋହନ ନଟବର ବେଶ ହୋଇଥାନ୍ତି । ଏହିଦିନ ଠାକୁରଙ୍କୁ ରଙ୍ଗିନ୍‍ ଶାଢି ଓ ଅନ୍ୟାୟନ ରଙ୍ଗିନ୍‍ ବସ୍ତ୍ର ପିନ୍ଧା ଯାଇଥାଏ । ବାରହାତି ଶାଢୀ, କମରପଟୀ, କାଛେଣି, ଦୋଷଡା ଆଦି ଲାଗି କରାଯାଇଥାଏ । 

ଚୈତନ୍ୟା ଚରିତାମୃତରେ କୁହାଯାଇଛି, 

ଅନବସରେ ଜଗନ୍ନାଥ ନ ପାୟାଁ ଦର୍ଶନ । ବିରହେ ଅଲାରନାଥ କରିଲା ଗମନ ।

Share Post

Leave a Reply

Your email address will not be published. Required fields are marked *

one + 7 =