୨୦୨୦ ଗଜପତି ମହାରାଜାଙ୍କ ପାଇଁ କାହିଁକି ଗୁରୁତ୍ବପୂର୍ଣ୍ଣ

ମହାରାଣୀଙ୍କ ସହ ଗଜପତି ମହାରାଜା

ଭୁବନେଶ୍ବର: ଦେଶ ସ୍ବାଧୀନ ହେବା ପରେ ଶାସନ ବ୍ୟବସ୍ଥାରେ ରାଜା ମହାରାଜାଙ୍କର ଆଉ କୌଣସି ଭୂମିକା ନାହିଁ। ଏହି କ୍ରମରେ ପୁରୀ ଗଜପତି ମହାରାଜା ମଧ୍ୟ ଶାସନ ବ୍ୟବସ୍ଥାରେ ପ୍ରତ୍ୟେକ୍ଷ ଭାବେ ଆଉ ନାହାନ୍ତି। ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ ହେବା ପରଠାରୁ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଭାବେ ସେ ଦାୟିତ୍ବ ତୁଲାଉଥିଲେ ହେଁ ପ୍ରକୃତ ଦାୟିତ୍ବ ଶ୍ରୀମନ୍ଦିର ପ୍ରଶାସନ ହାତରେ ନ୍ୟସ୍ତ ରହିଛି। ଏହା ସତ୍ତ୍ବେ ଗଜପତି ମହାରାଜାଙ୍କ ସହିତ ଶ୍ରୀମନ୍ଦିର ସଂପର୍କର ଅତ୍ୟନ୍ତ ନିବିଡ। ଗଜପତି ମହାରାଜା ହେଉଛନ୍ତି ଶ୍ରୀମନ୍ଦିରର ଆଦ୍ୟ ସେବକ। କେହି କେହି ତାଙ୍କୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ବୋଲି ମଧ୍ୟ କହିଥାନ୍ତି। ବଂଶାନୁକ୍ରମିକ ଭାବେ ଗଜପତି ମହାରାଜା ମହାପ୍ରଭୁଙ୍କ ଏହି ଦୁର୍ଲଭ ସେବାକୁ ଆପଣାଇଥାନ୍ତି।

ପ୍ରଧାନମନ୍ତ୍ରୀଙ୍କ ସହ ଗଜପତି ମହାରାଜା

ଗତ ସାଢେ ଚାରିଶହ ବର୍ଷର ଶ୍ରୀମନ୍ଦିର ଇତିହାସ ପୃଷ୍ଠାକୁ ଖେଳାଇଲେ, ଏକ ବଡ଼ ତଥ୍ୟ ସାମ୍ନାକୁ ଆସୁଛି। ତାହା ପୁଣି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ନେଇ। ନୂଆବର୍ଷ ଅର୍ଥାତ୍ ୨୦୨୦ ଗଜପତିଙ୍କ ପାଇଁ ନୂଆ ଉପଲବ୍ଧି ଆଣିବ, ରାଜ୍ୟବାସୀଙ୍କ ପାଇଁ ମଧ୍ୟ। ଶ୍ରୀଜଗନ୍ନାଥପ୍ରେମୀଙ୍କ ପାଇଁ ମଧ୍ୟ ଏକ ବଡ଼ ଖବର। ପାଞ୍ଚ କି ଦଶବର୍ଷ ନୁହେଁ, ଆସନ୍ତାବର୍ଷ (୨୦୨୦) ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ରାଜାଭିଷେକ ବା ସିଂହାସନ ଆରୋହଣକୁ ୫୦ବର୍ଷ ଛୁଇଁବ। ୧୯୭୦ ମସିହାରେ ଗଜପତି ବୀର କିଶୋର ଦେବ (ତୃତୀୟ)ଙ୍କ ଦେହାନ୍ତ ପରେ ଦିବ୍ୟସିଂହ ଦେବଙ୍କର ରାଜାଭିଷେକ ହୋଇଥିଲା। ଆଜିକୁ ପାଖାପାଖି ତିନିଶହ ବର୍ଷ ତଳେ ଏପରି ଜଣେ ମହାରାଜା ପଚାଶ ବର୍ଷ ଗଜପତି ଭାବେ ମହାପ୍ରଭୁଙ୍କ ସେବା ଓ ଶାସନରେ ରହିଥିବା ନଜିର ରହିଛି। ଏହା ପରେ ଆଉ କୌଣସି ମହାରାଜାଙ୍କ ଭାଗ୍ୟରେ ଏଭଳି ସୁଯୋଗ ଜୁଟିନାହିଁ।

ମୁଖ୍ୟମନ୍ତ୍ରୀଙ୍କ ସହ

ଗଜପତି ବୀର କିଶୋର ଦେବ ( ପ୍ରଥମ) ୧୭୩୬ ମସିହାରେ ସିଂହାସନ ଆରୋହଣ କରିଥିଲେ ଓ ସେ ପ୍ରାୟ ୧୭୯୩ ମସିହା ପର୍ଯ୍ୟନ୍ତ ଦାୟିତ୍ବରେ ଥିଲେ। ସେତେବେଳେ ଅବଶ୍ୟ ରାଜାରାଜୁଡା ଶାସନ ଥିଲା। ଏଣୁ ତାଙ୍କର ବିଶେଷ ଗୁରୁତ୍ବ ଥାଇପାରେ। ୧୫୬୮ ମସିହାରୁ ଏବେ ସୁଦ୍ଧା ଦେଖିଲେ ପାଖାପାଖି ମହାରାଜା ଦିବ୍ୟସିଂହଙ୍କୁ ମିଶାଇ ପାଖାପାଖି ୧୯ ଜଣ ଗଜପତି ମହାପ୍ରଭୁଙ୍କ ସେବା କରି ସାରିଛନ୍ତି।

ପରିବାର ସହ ଗଜପତି ମହାରାଜା

ଛାତ୍ରାବସ୍ଥାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କର ହିଁ ରାଜାଭିଷେକ ହୋଇଥିଲା। ରାୟପୁର ରାଜକୁମାର କଲେଜରୁ ସେ ଆଇଏସସି ପାସ୍ ପରେ ୧୯୭୨ ମସିହାରେ ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଇତିହାସ (ସମ୍ମାନ)ରେ ବିଏ ପାସ୍ କରିଥିଲେ। ଏହା ପରେ ୧୯୭୫ ମସିହାରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଏଲଏଲ୍ ବି ଶିକ୍ଷା ଶେଷ କରି ଗଜପତି ଆମେରିକାର ଚିକାଗୋସ୍ଥିତ ଉତ୍ତର ପଶ୍ଚିମ ବିଶ୍ବବିଦ୍ୟାଳୟରେ ଏଲ୍ଏଲ୍ଏମ୍ ଡିଗ୍ରି ହାସଲ କରିଥିଲେ। କିଛି ସମୟ ଧରି ସେ ଓକିଲାତି ପେଶାରେ ମଧ୍ୟ ଥିଲେ।

ହେଲେ ମହାପ୍ରଭୁଙ୍କ ଆକର୍ଷଣ ଏମିତି ତାଙ୍କୁ ଟାଣିଲା ଯେ ସେ ଓଡ଼ିଶା ପ୍ରତ୍ୟାବର୍ତନ କରିବାକୁ ବାଧ୍ୟ ହେଲେ। ଗଜପତି ମହାରାଜା ଦିବ୍ୟସିଂହ ଦେବ କେବଳ ବିନୟୀ, ନମ୍ର , ତାହା ନୁହଁନ୍ତି ବରଂ ଶ୍ରୀଜଗନ୍ନାଥ ସଂସ୍କୃତିର ଆଜି ଜଣେ ବିଶ୍ବସ୍ତରୀୟ ପ୍ରବକ୍ତା। ସନାତନ ଧର୍ମ ସଂପର୍କରେ ଗଜପତିଙ୍କର ବକ୍ତବ୍ୟ ଦୁର୍ଲଭ।

Share Post

Leave a Reply

Your email address will not be published. Required fields are marked *

1 + thirteen =