ମହାପ୍ରଭୁଙ୍କ ମହାସ୍ନାନ କି ବାର୍ତା ଦେଉଛି

ଭୁବନେଶ୍ୱର: ଯେ କୌଣସି ବ୍ୟକ୍ତି ପାଇଁ ପରିଷ୍କାର ଓ ପରିଚ୍ଛନ୍ନତା ଅନେକ ମୂଲ୍ୟ ରଖିଥାଏ । ତାହା କେବଳ ଆମ ପରିବେଶ ନିର୍ମଳ ରଖିଥାଏ ବା ଆମକୁ ନୀରୋଗ ରଖେ ତା ନୁହେଁ, ମନକୁ ଶୁଦ୍ଧ କରିବାରେ ସାହାଯ୍ୟ କରିଥାଏ । ମାନସିକ ସନ୍ତୁଳନ ରକ୍ଷା କରିବାରେ ମଧ୍ୟ ଏହାର ବଡ଼ ପ୍ରଭାବ ଆମେ ଦୈନନ୍ଦିନ ଅନୁଭବ କରିଥାନ୍ତି । ଆମେ ଯଦି ନୀରୋଗ ରୁହନ୍ତି, ମନ ଶୁଦ୍ଧ ଥାଏ, ମାନସିକ ଭାରସାମ୍ୟ ରକ୍ଷା କରିବାରେ ସମର୍ଥ ଅଟନ୍ତି, ତେବେ ଏହା ବିବେକ, ବୁଦ୍ଧିକୁ ବି ସତେଜ କରିଥାଏ । ଠିକ୍‍ ସମୟରେ ଠିକ୍‍ କାମ କରିପାରନ୍ତି । ଏହା କର୍ମ, ଭକ୍ତି ଓ ଜ୍ଞାନ ପ୍ରାପ୍ତି ଦିଗରେ ବିଶେଷ ସହାୟ ହୋଇଥାଏ । ଆମେ ଜାଣିଛନ୍ତି ମହାପ୍ରଭୁ ହେଉଛନ୍ତି ସର୍ବଧର୍ମ ସମନ୍ୱୟର ଠାକୁର । ଅର୍ଥାତ୍‍ କର୍ମ (ଶ୍ରୀବଳଦେବ), ଭକ୍ତି (ଦେବୀ ସୁଭଦ୍ରା) ଓ ଜ୍ଞାନ (ଶ୍ରୀଜଗନ୍ନାଥ)ର ସେ ହେଉଛନ୍ତି ମୂର୍ତିମନ୍ତ ପ୍ରତୀକ । ଏହି ତିନିଟି ଶକ୍ତି ହାସଲ ବିନା  ବିଶ୍ୱରେ ପ୍ରାଣୀର ଜୀବନ ନିରର୍ଥକ ବୋଲି ବିଚାର କରାଯାଏ । ଏଣୁ ବ୍ୟବସ୍ଥାର ଏହି ଆବଶ୍ୟକତାର ସଙ୍କେତ ମହାପ୍ରଭୁ ଶ୍ରୀମନ୍ଦିରରୁ ଦେଇଥାନ୍ତି । 

ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ସମସ୍ତ ନୀତି ମାନଙ୍କ ମଧ୍ୟରେ ଶୈାଚ ନିୟମ ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଏହାକୁ ଶ୍ରୀମନ୍ଦିର ପରିଭାଷାରେ ମହାସ୍ନାନ ବୋଲି କୁହାଯାଏ । ମହାପ୍ରଭୁଙ୍କ ମହାସ୍ନାନ ନୀତି କଥା ମନକୁ ଆସିଲା ମାତ୍ରେ ଏହି ଶୁଦ୍ଧତା ଆଡକୁ ହିଁ ଅଙ୍ଗୁଳି ଉଠିଥାଏ । ମହାସ୍ନାନ କହିଲେ ବିଶେଷ ସ୍ନାନ ବୋଲି ବୁଝାଯାଏ । କୌଣସି ଅଘଟଣ ଘଟିଲେ ସ୍ୱତନ୍ତ୍ର ସ୍ନାନକୁ ହିଁ ବୁଝାଇଥାଏ । ଏ କ୍ଷେତ୍ରରେ ଶ୍ରୀମନ୍ଦିର ଅନୁଶାସନ ଅତ୍ୟନ୍ତ କଠୋର । କାରଣ ମନ୍ଦିରରେ ଯଦି ଶୁଦ୍ଧତା ନ ରହେ, ପରିଷ୍କାର ପରିଚ୍ଛନ୍ନ ରଖାନଯାଏ, ଏହା ମନକୁ ବିଚଳିତ ଆଡକୁ ଟାଣିନିଏ । ଆମେ ଭିତରେ ଅସନ୍ତୋଷ, କ୍ରୋଧକୁ ଏହା ଟାଣି ଆଣିଥାଏ । ଏଣୁ ଯଦି ଶ୍ରୀମନ୍ଦିରରେ କୁକୁରଟିଏ ବି କେବେ ପ୍ରବେଶ କରେ, ତେବେ ମହାପ୍ରଭୁଙ୍କ ମହାସ୍ନାନ ହେବାର ବିଧି ରହିଛି । ମନ୍ଦିର ବେଢାରେ ଶବ ବା  ଅସ୍ଥି ଦେଖାଗଲେ ଠାକୁରଙ୍କ ନୀତିକୁ ତୁରନ୍ତ ବନ୍ଦ କରିଦିଆଯାଏ ।ନୀତିରେ ବ୍ୟବହାର ହେଉଥିବା ଅାବଶ୍ୟକ ସାମଗ୍ରୀ ବାହାରକୁ ବାହାର କରାଯାଏ । ଏହାପରେ ମହାସ୍ନାନର ବ୍ୟବସ୍ଥା କରାଯାଏ । ଏଥିରେ ଜୟ ବିଜୟ ଦ୍ୱାର ଠାରୁ ଭିତର ଗମ୍ଭୀରା ପର୍ଯ୍ୟନ୍ତ ଉତ୍ତମ ରୂପେ ଧୁଅାହୋଇ ଚୂନପାଣି ପଡିଥାଏ । ପାଳିଅା ମେକାପ ରନùସିଂହାସନରେ ପୋଛା ମାରନ୍ତି । ଏହାପରେ ପୂଜାପାଠ ହୋଇ ନୀତି ବଢ଼ିଥାଏ । ଏହି ମହାସ୍ନାନ ପୂର୍ବରୁ ସମସ୍ତ ରୋଷ ଧୋପଖାଳ ହୁଏ । ରୋଷ ଘରେ ଥିବା ସମସ୍ତ ଭୋଗ,ପାଣି ପଶିଥିବା ସମସ୍ତ ଜିନିଷ,କଟାବଟା ପରିବା ମସଲା ଇତ୍ୟାଦି,ପାଣି ହାଣ୍ଡି,ଶିକା ଓ ବାଉଁଶ ପ୍ରଭୁତି ବାହାର କରାଯାଏ । ପୁର୍ନବାର ରୋଷରେ ହୋମ ହୋଇଥାଏ । ତାପରେ ସୂର୍ଯ୍ୟ ପୂଜା,ଦ୍ୱାରପାଳ ପୂଜା ହୋଇଥାଏ । 

କେବଳ ସେତିକି ନୁହେଁ, ଭୋଗ ପୂଜା ବସିଥିବା ସମୟରେ ଯଦି କିଛି ଘଟଣା ଘଟେ ତେବେ ପୂଜାପଣ୍ଡା ମାନେ ପୂଜାରୁ ଉଠି ଅାସନ୍ତି । ସମସ୍ତ ଭୋଗ ଏକତ୍ର ହୋଇ ପୋତାଯାଏ । ପରେ ଧୋପଖାଳ ହୋଇ ମହାସ୍ନାନ ହୁଏ । ଏହାପରେ ପାର୍ଶ୍ୱ ଦେବଦେବୀ ମାନଙ୍କର ମଧ୍ୟ ମହାସ୍ନାନ ହୋଇଥାଏ । ଭିତର କାଠ ଠାରୁ ସିଂହାସନ ପର୍ଯ୍ୟନ୍ତ ସଂପୃକ୍ତ ସ୍ଥାନରେ ଯଦି କୌଣସ ବ୍ୟକ୍ତି ମଳତ୍ୟାଗ ପରିସ୍ରା କିମ୍ୱା ଛେପ ପକାଏ ତାହା ହେଲେ ଭିତର ଓ ବାହାର ଧୋ ପଖାଳ ହୋଇ ଚୂନ ପାଣି ପଡିଥାଏ । ପୁଷ୍ପାଳକ ମାନେ ଠାକୁରଙ୍କ ମଇଲମ କରନ୍ତି । ଏହାପରେ ବଡ ମହାସ୍ନାନର ପୂଜା ପାଠ ହୋଇଥାଏ । 

ଦର୍ଶନ ସମୟରେ କିମ୍ୱା ଅନ୍ୟ କୌଣସି ସମୟରେ ଯଦି କେହି ବ୍ୟକ୍ତି ଶ୍ରୀବଗ୍ରହଙ୍କ ଶ୍ରୀଅଙ୍ଗ ସ୍ପର୍ଶ କରନ୍ତି ତାହା ହେଲେ ମହାସ୍ନାନ ନୀତି ପାଳିତ ହୋଇଥାଏ । ଏହା ଛଡା କେତେକ ପର୍ବପର୍ବାଣୀ ମାନଙ୍କରେ ଶ୍ରୀମନ୍ଦିରରେ ଯାତ୍ରାଙ୍ଗୀ ମହାସ୍ନାନ ଅନୁଷ୍ଠିତ ହୋଇଥାଏ । ଅର୍ଥାତ୍‍ ମହାପ୍ରଭୁଙ୍କର ବିଜେ ପ୍ରତିମା ଶ୍ରୀମନ୍ଦିରକୁ ଫେରିବା ପରେ ତାଙ୍କର ସ୍ନାନାଦି ହୋଇଥାଏ ।

ଆଜି ଦିନରେ କେହି କେହି ଏହାକୁ ବିରୋଧ କରିଥାନ୍ତି । ଏତେ ଭୋଗ କାହିଁକି ପୋତାଯାଏ ବୋଲି ପ୍ରଶ୍ନ ଉଠାନ୍ତି । ଭୋଗର ପରିମାଣ ଦୃଷ୍ଟିରୁ ଏହା ନଷ୍ଟ ହେବା ଅତ୍ୟନ୍ତ କଷ୍ଟସାଧ୍ୟ ବ୍ୟାପାର । ଆଜିର ଭୋକ ଦୁନିଆରେ ଏହା ତ ଆତ୍ମାକୁ କଷ୍ଟ ଦେବ । କିନ୍ତୁ କେବେ ଭାବିଛନ୍ତି,ଯଦି କୁକୁର ମନ୍ଦିରରେ ପ୍ରବେଶ କରି ଭୋଗ ପ୍ରସ୍ତୁତି କିମ୍ୱା କେଉଁଥିରେ ମୁହଁ ମାରିଦିଏ  ଏବଂ ସଂକ୍ରମଣ ହୁଏ, ତେବେ କେତେ ହଜାର ଲୋକ ପ୍ରଭାବିତ ହେବେ । ଏହା ଏକ ସଙ୍କେତ ମାତ୍ର । ଦୈନନ୍ଦିନ ନିଜ ଘରକୁ ଶୁଦ୍ଧ  ତଥା ପରିଷ୍କାର ରଖିବା ଲାଗି ମହାପ୍ରଭୁ ଏସବୁ ମାଧ୍ୟମରେ ଶିକ୍ଷା ଦେଇଥାନ୍ତି । ପ୍ରତି ଗୁରୁବାର ପୂର୍ବ ଦିନ ଘରକୁ ପୋଛା ମାରିବା ଆମ ପରମ୍ପରା ରହିଛି । ଶ୍ରୀମନ୍ଦିରର ବାର୍ତା ଓ ଆଜି ଦିନର ସ୍ୱଚ୍ଛ ଭାରତର ସ୍ଲୋଗାନ ମଧ୍ୟରେ ଫରକ କେତେ?

Share Post

Leave a Reply

Your email address will not be published. Required fields are marked *

17 − 9 =